ଦାମବାବୁ ଓଲଟା ଡ୍ୟାସ ମାରିଦେଲେ , ପ୍ରତାପ ବାବୁ ଦାମଙ୍କ ଡରେ ଆସିଲେ ନାହିଁ

ଓଡିଶା ନ୍ୟୁଜ୍

 

କୁଜଙ୍ଗ,୧୪ା୧୦: ମହାଚତୁର ଦାମ ବାବୁ ଖାଦ୍ୟ ସୁରକ୍ଷା ସମାବେଶରେ ବିଜେଡି ଦଳର ମନ୍ତ୍ରୀ ନେତା ମାନଙ୍କୁ ହରଡ଼ ଘଣାରେ ପକାଇଛନ୍ତି ,ପାରାଦୀପ ନିର୍ବାଚନମଣ୍ଡଳୀର କୁଜଙ୍ଗଠାରେ ବିଜେଡି ନେତାମାନେ ପୂର୍ବରୁ ଏକ ମହିଳା ସମାବେଶ କରି ଦଳରୁ ବହିଷ୍କୃତ ନେତା ତଥା ବିଧାୟକ ଦାମୋଦର ରାଉତଙ୍କୁ ଶକ୍ତ ଝଟ୍‌କା ଦେଇଥିଲେ। ଅନୁରୂପ ଭାବେ ଶନିବାର ମଧ୍ୟ ଏଠାରେ ଏକ ସରକାରୀ କାର୍ଯ୍ୟକ୍ରମ କରି ସେମାନେ ଦାମଙ୍କୁ ଚକ୍‌ମା ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଚତୁର ଦାମବାବୁ ଏହାର କଡ଼ା ମୁକାବିଲା କରିବା ସହ ବିଜେଡି ନେତାମାନଙ୍କୁ ଆକ୍ରମଣାତ୍କକ ଢଙ୍ଗରେ ଜବାବ ଦେଇଛନ୍ତି। କୁଜଙ୍ଗ ବ୍ଲକ ପଡିଆଠାରେ ଥିବା ସୂଚନା ଭବନ ପରିସରରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ବ୍ଲକସ୍ତରୀୟ ଉଦ୍‌ଘାଟନ ଉତ୍ସବ ଆୟୋଜିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ପ୍ରଚାର କରିବା ସହ ୨ ଜଣଙ୍କ ମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବା ଓ ଦଳୀୟ କର୍ମୀଙ୍କୁ ଏକାଠି କରିବା। ଏଥିପାଇଁ ବିଡିଓଙ୍କୁ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୁହାଯାଇଥିଲା। ତେବେ ଦିନକୁ ପୂର୍ବରୁ ପ୍ରଚାର ହେଲା ଯେ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଦାମୋଦର ରାଉତ ଉପସ୍ଥିତ ରହିବେ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ଦାମଙ୍କ ସମର୍ଥକମାନେ ସଭା କରି ଆଲୋଚନା କରିଥିଲେ। ଶନିବାର ମଧ୍ୟ ଦାମବାବୁ ସଭାର ୨ ଘଣ୍ଟା ପୂର୍ବରୁ କୁଜଙ୍ଗ ବ୍ଲକରେ ପହଞ୍ଚତ୍ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଯାଇ କର୍ମୀମାନଙ୍କୁ ମନ୍ତ୍ରଣା ଦେଇଥିଲେ। ଫଳରେ ସଭାସ୍ଥଳରେ ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରେ ଆରମ୍ଭ କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ୨ ଘଣ୍ଟା ବିଳମ୍ବରେ ୧୨ଟାରେ ଆରମ୍ଭ ହୋଇଥିଲା। ସେହିପରି କାର୍ଯ୍ୟକ୍ରମକୁ ମନ୍ତ୍ରୀ ପ୍ରତାପ ଜେନା ଆସିଲେ ନାହିଁ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଏମ୍‌ପି ଡା. କୁଳମଣି ସାମଲ ଆସିବା ପରେ ବିଡିଓ ସଭା ଆରମ୍ଭ କରିଦେଇଥିଲେ। ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ୍‌ ଖଁା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଆଭିମୁଖ୍ୟ ବଖାଣୁଥିବାବେଳେ ବିଧାୟକ ଦାମୋଦର ରାଉତ ନିଜ ସମର୍ଥକଙ୍କୁ ଧରି ପ୍ରବେଶ କଲେ। ଏହି ସମୟରେ ଉକ୍ତ ସରକାରୀ କାର୍ଯ୍ୟକ୍ରମସ୍ଥଳ ଦାମବାବୁ ଜିନ୍ଦାବାଦ୍‌, ପାରାଦୀପର ସ୍ବାଭିମାନ ଦାମବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହୋଇଗଲା, ଯାହାକି ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି କରିଥିଲା।
ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରଫୁଲ ସାମଲ, ଏମ୍‌ପି କୁଳମଣି ସାମଲ ମଞ୍ଚରେ ଥିବାବେଳେ ଦାମଙ୍କ ସମର୍ଥକମାନେ ଏକ ବଡ଼ ଫୁଲମାଳ ଆଣି ଦାମଙ୍କ ବେକରେ ପକାଇ ପୁଣି ଜିନ୍ଦାବାଦ୍‌ କରିଥିଲେ। ମନ୍ତ୍ରୀ ଓ ଏମ୍‌ପିଙ୍କୁ ନା ସରକାରୀ ଅଧିକାରୀ ନା ହିତାଧିକାରୀ କେହି ଫୁଲମାଳଟିଏ ମଧ୍ୟ ଦେଲେନାହିଁ, ଯାହାକି ସଭାମଞ୍ଚକୁ ଗମ୍ଭୀର କରିଦେଇଥିଲା। ଔପଚାରିକ ଭାବେ ପ୍ରଥମେ ଦାମବାବୁଙ୍କୁ ଭାଷଣ ଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିଲେ ମଧ୍ୟ ଦାମବାବୁ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କୁ
ପଦୁଟିଏ ମଧ୍ୟ ପ୍ରଶଂସା କଲେ ନାହିଁ, ବରଂ ଏହି ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା କହି ସମସ୍ତଙ୍କୁ ଚମକାଇ ଦେଲେ। କୁଜଙ୍ଗ ବ୍ଲକର ନିର୍ଦ୍ଦିଷ୍ଟ କେତୋଟି ପଞ୍ଚାୟତ କଥା ସେ ଉଠାଇଥିବାବେଳେ କାଠକୋଟ ପଞ୍ଚାୟତ ସରପଞ୍ଚ ମିହିର ପଟ୍ଟନାୟକ ସଭାସ୍ଥଳରେ ବିରୋଧ କରିଥିଲେ। ସଭାରେ ଚାପା ଉତ୍ତେଜନା ଆରମ୍ଭ ହୋଇଥିଲା ଓ ଦାମବାବୁ ସରକାରୀ କାର୍ଯ୍ୟକ୍ରମ କଥା ଭୁଲି ଭାଷଣରେ ଆକ୍ରମଣ ଆରମ୍ଭ କରିଦେଲେ। ବ୍ଲକ ପଡିଆରେ ଯେଉଁ ମହିଳା ସମାବେଶ କରାଯାଇଥିଲା, ସେଠାକୁ କ’ଣ କୁଜଙ୍ଗ-ପାରାଦୀପ ଅଞ୍ଚଳରୁ ମହିଳା ଆସିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ପାଟକୁରା, ମାର୍ଶାଘାଇ, ରଘୁନାଥପୁର, ମାହାଙ୍ଗା, ତିର୍ତ୍ତୋଲ ଅଞ୍ଚଳରୁ ମହିଳାମାନେ ଏଠାକୁ ଆସିଥିବା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରି ୬ଜଣ ମନ୍ତ୍ରୀଙ୍କୁ ଡାକି ମୋ ବିରୋଧରେ ସଭା କରାଗଲା। ଯେଉଁମାନେ ସଭାକୁ ଆସିଥିଲେ ସେମାନେ କେବେ ବିଜେଡିରେ ରହିବେ ନାହିଁ ଓ ଯେଉଁମାନେ ମହିଳାଙ୍କୁ ଡାକିବାର ଦାୟିତ୍ୱ ନେଇଥିଲେ, ସେମାନଙ୍କୁ ନିର୍ବାଚନରେ ଜିତେଇ ଦେବେ ନାହିଁ ବୋଲି କହି ଦାମ କୁଳମଣିଙ୍କ ଆଡକୁ ଆକ୍ଷେପ କରିଥିଲେ। ଏହି ଅବସରରେ ଦାମ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁ ଓ ଜାନକୀ ବାବୁଙ୍କୁ ପ୍ରଶଂସା କରିଥିଲେ। ସେ କହିଲେ ଯେ ବିଜୁବାବୁ ଓ ଦାମବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ମାତ୍ର ୧୮ ହଜାର କୋଟି ଋଣ କରିଥିଲେ। କିନ୍ତୁ ନବୀନ ବାବୁ ୯୩ ହଜାର ୭୬ କୋଟି ଋଣ କରିସାରିଲେଣି।
ସେ ୩୫ ବର୍ଷ ଧରି ବିଧାନସଭାକୁ ଆସିଲେଣି। ଏ ଭିତରେ ବର୍ତ୍ତମାନର ସରକାର ସବୁଠୁ ବଡ଼ ଦୁର୍ନୀତିରେ ବୁଡି ରହିଥିବା ଦାମ କହିଥିଲେ। ଦାମଙ୍କ ପରେ କୁଳମଣି ଭାଷଣ ଦେଇଥିଲେ। ଏହି ଅବସରରେ ସେ ଦାମଙ୍କ ନଁା ନ ନେଇ ତାଙ୍କୁ ତୀବ୍ର ସମାଲୋଚନା କଲେ। କହିଲେ ୪ ବର୍ଷ କିପରି ବିତିଛି ସେ ଜାଣିନାହାନ୍ତି, କିନ୍ତୁ ବିକାଶରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସମସ୍ତେ ଜାଣନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ଦାମଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ସମାଲୋଚନା କରିଥିଲେ। ଆଗକୁ ଅନେକ ଘଟଣା ଘଟିବ ଓ ସେ ଲୋକଙ୍କ ସହ ରହିବେ ବୋଲି କୁଳମଣି କହିଥିଲେ। ତାଙ୍କର ଏହି ଭାଷଣ ପରେ ଦାମଙ୍କ ସମର୍ଥକମାନେ ବିଚଳିତ ଜଣାପଡୁଥିଲେ। ତେବେ ଏହି ସମୟରେ ମନ୍ତ୍ରୀ ସାମଲ ଭାଷଣ ଦେବାକୁ ଉଠିବା ବେଳେ ପୂର୍ବତନ ବ୍ଲକ ବିଜେଡି ସଭାପତି ଭାରତ ଭୂଷଣ ଦାସ ଛିଡ଼ାହୋଇ ମନ୍ତ୍ରୀ ଶ୍ରମ ବିଭାଗ ଦାୟିତ୍ୱରେ ଥାଇ ପାରାଦୀପ ଶିଳ୍ପାଞ୍ଚଳରେ କେତେ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିବାରୁ ଅସ୍ବଭାବିକ ପରିସ୍ଥିତ ସୃଷ୍ଟି ହୋଇଥିଲା। ଏସ୍‌ଡିପିଓ ଶିବ ଚରଣ ମଲିକ, କୁଜଙ୍ଗ ଥାନା ଆଇଆଇସି ଦିଲୀପ କୁମାର ସାହୁ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ମନ୍ତ୍ରୀ ସାମଲ ତାଙ୍କ ଭାଷଣରେ ସ୍ଥାନୀୟ ନେତାଙ୍କ ମାଧ୍ୟମରେ ନିଯୁକ୍ତି ସମସ୍ୟା ସମାଧାନ ହୋଇଥାଏ ବୋଲି କହି ଦାମଙ୍କୁ ତେରେଛା ତୀର ମାରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ କିଶୋର ଚନ୍ଦ୍ର ସ୍ବାଇଁ, ଏଡିଏମ୍‌ଓ କାହ୍ନୁଚରଣ ଧିର, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ୧ନଂ ଜିଲା ପରିଷଦ ସଦସ୍ୟା ନମିତା ପରିଡା ପ୍ରମୁଖ ଭାଷଣ ଦେଇଥିଲେ। ବ୍ଲକର ୮ହଜାର ୫୦୦ ଖାଉଟିଙ୍କୁ କାର୍ଡ ପ୍ରଦାନ ନିଷ୍ପତ୍ତି ହୋଇଥିବାବେଳେ ସଭାରେ ୧୧୨ ଜଣଙ୍କୁ କାର୍ଡ ଦେବାର ଯୋଜନା ଥିଲା। କିନ୍ତୁ ମାତ୍ର ୧୫ଜଣଙ୍କୁ କାର୍ଡ ଦିଆଯାଇଥିବାବେଳେ ସଭା ଅଧାରୁ ଦାମବାବୁ ନିଜ ସମର୍ଥକଙ୍କ ସହ ବାହାରକୁ ଚାଲି ଆସିଥିଲେ। ଦାମବାବୁ ଚାଲିଯିବା ପରେ ଅବଶିଷ୍ଟ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଯେତେ ବାଣ୍ଟିଲେ କଣ ହେଵ ସଭିଙ୍କ ମୁହଁ ଆଜି ଦାମ ବାବୁ କଳା କାଠ ପଡିଯାଇଥିବାର ଦେଖାଯାଇଥିଲା .

Loading...
Loading...
Share It
  • 11
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.