କଟକରେ ସର୍ବଭାରତୀୟ ପୋଲିସ ଜୁଡୋ

ଓଡିଶା ଖେଳ
Image result for india judo india
କଟକ-ଓଡ଼ିଶା ପୋଲିସ ପକ୍ଷରୁ ତୃତୀୟ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ।  ନଭେମ୍ବର ୧୫ରୁ ୧୯ ତାରିଖ  ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କଟକ ଜବାହରଲାଲ୍‌ ନେହେରୁ ଷ୍ଟାଡିୟମ ଓ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲଠାରେ ହେବ। ଏହାର ସଫଳ ଆୟୋଜନ ନେଇ ମଙ୍ଗଳବାର ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସର୍ବଭାରତୀୟ ପୋଲିସ କଣ୍ଟ୍ରୋଲ ବୋର୍ଡର ଦିଗ୍‌ଦର୍ଶନରେ ଓଡ଼ିଶା ପୋଲିସ ଏହି ପ୍ରତିଯୋଗିତାର ଆୟୋଜନ କରୁଛି। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ସହାୟତା ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟ ଏବଂ କେନ୍ଦ୍ରୀୟ ପୋଲିସ ଦଳରୁ ୪୦ଟି ଦଳରୁ ୩୦୦ ପ୍ରଶିକ୍ଷକଙ୍କ ସମେତ ୧୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ ବୋଲି ସୂଚନା ଦିଆଯାଇଛି। ମୁଖ୍ୟତଃ ଜିମ୍ନାଷ୍ଟିକ,  ଜୁଡୋ, ଟାଏକୋଣ୍ଡୋ, ଉଷୁ ବିଭାଗର ପ୍ରତିଯୋଗିତାମାନ ହେବ। ଏହାର ପରିଚାଳନା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।  ଅତିରିକ୍ତ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କୁ କମିଟିର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ  ଅତିରିକ୍ତ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କୁ ପରିଚାଳନା ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ପ୍ରତିଯୋଗିତା ପାଇଁ ସମ୍ଭାବ୍ୟ ବ୍ୟୟ ଅଟକଳ କରାଯିବା ସହ ବୈଠକରେ ଏହା ଗୃହୀତ  କରାଯାଇଛି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ରାଜ୍ୟରେ ଥିବା ବିଭିନ୍ନ କ୍ରୀଡ଼ା ସଙ୍ଗଠନଗୁଡ଼ିିକର ସହାୟତା ନିଆଯିବ। ପ୍ରତିଯୋଗିତା ପାଇଁ ଯଥେଷ୍ଟ କ୍ରୀଡ଼ା ଉପକରଣ ନ ଥିବାରୁ  ଆବଶ୍ୟକ ସହାୟତା ପାଇଁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ କ୍ରୀଡା ସଚିବଙ୍କୁ ଚିଠି କରାଯାଇଛି। ଖେଳାଳି,  ପ୍ରଶିକ୍ଷକ ଏବଂ ସେମାନଙ୍କ ଟିମ୍‌ ରହିବା ପାଇଁ ବାରବାଟୀ ଷ୍ଟାଡିୟମ, ଷଷ୍ଠ ଓଏସ୍‌ଏପି ବାଟାଲିୟନ, କିଟ୍‌ ବିଶ୍ୱବିଦ୍ୟାଳୟ ଆଦି ସ୍ଥାନ ଚୟନ କରାଯାଇଛି। ପ୍ରତିଯୋଗିତା ପାଇଁ ଆସନ୍ତା ନଭେମ୍ବର ୭ ତାରିଖରୁ ରାଜ୍ୟ ମୁଖ୍ୟ ପୋଲିସ କାର୍ଯ୍ୟାଳୟରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗିତାର ଉଭୟ ଉଦ୍‌ଘାଟନ ଓ ଉଦ୍‌ଯାପନୀ ବକ୍ସିବଜାର ସ୍ଥିତ ରିଜଭର୍ର୍ ପୋଲିସ ପଡିଆଠାରେ ହେବ ବୋଲି ଡିଜିପି କହିଛନ୍ତି। ଖେଳାଳିଙ୍କ ରହଣି, ଖାଦ୍ୟପେୟ, ଅଭ୍ୟର୍ଥନା, ଯାତାୟାତ ଏବଂ ପ୍ରତିଯୋଗିତା ପରିଚାଳନାରେ ଯେପରି କୋଣସି ତ୍ରୁଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.