ଆରମ୍ଭ ହେଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ୩ରୁ ୧୦ ମଧ୍ୟରେ ବ୍ଲକରେ ବଣ୍ଟାହେବ ରାଶନ କାର୍ଡ

ଓଡିଶା ନ୍ୟୁଜ୍
Image result for bjd logo
ଭୁବନେଶ୍ୱର:- ୨୦୧୪ ନିର୍ବାଚନ ବେଳେ ଆମେ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ। ଆଜି ଆମେ ସେହି କଥାକୁ ରଖିପାରିଛୁ। ରାଜ୍ୟରେ ବର୍ତ୍ତମାନ ୨୫ ଲକ୍ଷ ଗରିବ ଲୋକ ଏହି ଯୋଜନାର ସୁବିଧା ପାଇବେ। ୧ ଟଙ୍କାରେ ଚାଉଳ ଦିଆଯିବ। ଖାଦ୍ୟ ସୁରକ୍ଷା ଆପଣଙ୍କ ଅଧିକାର। ଆମ ସରକାର ସବୁ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବେ। ମଙ୍ଗଳବାର ଅପରାହ୍ନରେ ସଚିବାଳୟଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌) ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି।  ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୪ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫଏସଏ) କାର୍ଯ୍ୟକାରୀ ହେଲା। କିନ୍ତୁ ବହୁ ଲୋକ ଏହି ସୁବିଧା ପାଇ ପାରୁ ନ ଥିଲେ। ଏଥିପାଇଁ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଁ ଯେତେବେଳେ ସାଧାରଣ ଲୋକଙ୍କୁ ଭେଟିଛି ସେତେବେଳେ ବହୁ ଲୋକ ଏହି ସୁବିଧା ପାଇଁ ମୋତେ ଅନୁରୋଧ କରୁଥିଲେ। ଆଜି ସେହି ଗରିବ ଲୋକଙ୍କ କଥା ମୁଁ ରଖି ପାରିଛି। ଏହା ମୋତେ ବହୁତ ଖୁସି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗରିବ ଲୋକଙ୍କ ସେବା ପାଇଁ କେବେ ବି ଟଙ୍କାର ଅଭାବ ରହିବ ନାହିଁ। ଏହା ଆପଣମାନଙ୍କ ଟଙ୍କା। ଓଡ଼ିଶାବାସୀଙ୍କର ଟଙ୍କା। ଆପଣମାନଙ୍କ ପାଇଁ ଖର୍ଚ୍ଚ କରାଯାଇଛି। ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ। ଗାନ୍ଧୀ ଜୟନ୍ତୀରେ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାଯର୍ର୍‌ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ସବୁ ଜିଲାର ହିତାଧିକାରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗାଯୋଗ କରାଯାଇଥିଲା।  ବଲାଙ୍ଗୀର ବଙ୍ଗମୁଣ୍ଡା, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ମୟୂରଭଞ୍ଜର ଖୁଣ୍ଟା ଓ ବାଲେଶ୍ୱରର ଜଳେଶ୍ୱରରେ ହିତାଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ବଙ୍ଗମୁଣ୍ଡାର ଅନୁଛାୟା କୁମ୍ଭାର, ରାଜଗାଙ୍ଗପୁରର ଇନ୍ଦୁମତି, ଖୁଣ୍ଟାର ମାମା ମୁର୍ମୁ ଏବଂ ଜଳେଶ୍ୱରର ଜଣେ ଭିନ୍ନକ୍ଷମ ଆନନ୍ଦ ମୁଖି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହି ସୁବିଧା ପାଇଁ ଧନ୍ୟବାଦ ଦେଇଥିଲେ।
ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଯୋଗ ଦେଇଥିଲେ। ଜିଲାସ୍ତରରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାରେ ୧୮ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛିି।  ଯୋଗ୍ୟ ହିତାଧିକାରୀଙ୍କୁ ୧ ଟଙ୍କାରେ(ପ୍ରତି କିଲୋ) ମୁଣ୍ଡ ପିଛା ୫ କିଲୋ ହିସାବରେ ଚାଉଳ ଯୋଗାଇ ଦିଆଯିବ। ଏଥିପାଇଁ ୨୦୧୮-୧୯ ଆର୍ଥିକବର୍ଷର ଅତିରିକ୍ତ ବଜେଟରେ ୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ଗରିବ ଲୋକମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଅକ୍ଟୋବର ୩ରୁ ୧୦ ତାରିଖ ମଧ୍ୟରେ ବ୍ଲକସ୍ତରରେ ଏସ୍‌ଏଫ୍‌ଏସ୍‌ଏସ୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମ କରାଯିବ। ସେଠାରେ ବ୍ଲକ ଓ ଜିଲା ଜନପ୍ରତିନିଧିମାନେ ଉପସ୍ଥିତ ରହି ନୂତନ ରାଶନ କାର୍ଡ ବଣ୍ଟନ କରିବା ସହିତ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଚିଠି ମଧ୍ୟ ପ୍ରଦାନ କରିବେ। ସମସ୍ତ କଣ୍ଟ୍ରାକ୍ଟର ଗୋଦାମରୁ ଚାଉଳ ନେଇ ଡିଲର ପଏଣ୍ଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ତାରିଖରୁ ହିତାଧିକାରୀମାନେ ନିଜର ଚାଉଳ ସଂଗ୍ରହ କରିବେ।

Loading...
Share It
  • 10
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.