ବିକଳ୍ପ ପୃଥିବୀ ସନ୍ଧାନରେ ମାନବଜାତି: କାରଣ ଆମ ଗ୍ରହ ଚିରସ୍ଥାୟୀ ନୁହେଁ

ବିଶେଷ

Image result for green world wallpaperଆମେ ବର୍ତ୍ତମାନର ସ୍ଥିତିକୁ ଦେଖି ହୁଏତ ଜାଣିସାରିଛୁ ଯେ ପୃଥିବୀ ଚିରସ୍ଥାୟୀ ନୁହେଁ

ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍ ୨୦୧୭ ମସିହାରେ ନିଜର ଏକ ଅଭିଭାଷଣରେ କହିଥିଲେ ଯେ, ପୃଥିବୀ ପାଖରେ ଆଉ ୬୦୦ ବର୍ଷରୁ ବି କମ୍ ସମୟ ରହିଛି । ଜନସଂଖ୍ୟା ବିସ୍ଫୋରଣ ଓ ଶକ୍ତି ଉତ୍ସଗୁଡ଼ିକର ମାତ୍ରାଧିକ ବିନିଯୋଗ କାରଣରୁ ୨୬୦୦ ମସିହା ବେଳକୁ ପୃଥିବୀ ଏକ ନିଆଁ ପିଣ୍ଡୁଳାରେ ପରିଣତ ହେବ । ତେଣୁ ମାନବଜାତିକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ଆମକୁ ଏହି ୬୦୦ ବର୍ଷ ଭିତରେ ପୃଥିବୀ ବାହାରେ କୌଣସି ବାସୋପଯୋଗୀ ଗ୍ରହର ସନ୍ଧାନ କରି ସେଠାରେ ଜନବସତି ସ୍ଥାପନ କରିବାକୁ ପଡ଼ିବ ।

କାହିଁକି ବିନାଶ ହେବ ପୃଥିବୀ:
କେବଳ ଷ୍ଟିଫେନ୍ ହକିଙ୍ଗ୍ ନୁହନ୍ତି, ବିଶ୍ୱର ବହୁ ଜଣାଶୁଣା ବୈଜ୍ଞାନିକ ଦାବି କରନ୍ତି ଯେ, ଦିନେ ନା ଦିନେ ପୃଥିବୀ ଧ୍ୱଂସ ହେବା ସହ ଏହି ଗ୍ରହରେ ବସବାସ କରୁଥିବା ମଣିଷ ସମେତ ସମସ୍ତ ପ୍ରଜାତି ନିଶ୍ଚିହ୍ନ ହୋଇଯିବେ । ଏହା ଆସନ୍ତାକାଲି ହୋଇପାରେ, ବର୍ଷେ ପରେ ହୋଇପାରେ, ଦଶବର୍ଷ ପରେ ହୋଇପାରେ କିମ୍ବା ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ପରେ ହୋଇପାରେ । କିନ୍ତୁ ଦିନେ ନା ଦିନେ ଏଭଳି ବିନାଶ ନିଶ୍ଚିତ । ଏହାର ଅନେକ ସମ୍ଭାବ୍ୟ କାରଣ ରହିଛି ।

ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ, ବରଫ ତରଳିବା ଫଳରେ ସମୁଦ୍ର ସ୍ତର ବୃଦ୍ଧି, ପରିବେଶ ସନ୍ତୁଳନ ବିଗିଡ଼ିବା, ଶକ୍ତିଶାଳୀ ପରମାଣୁ ଯୁଦ୍ଧାସ୍ତ୍ରର ପ୍ରୟୋଗ କିମ୍ୱା ଜୈବିକ ଅସ୍ତ୍ରର ପ୍ରୟୋଗ ଆଦି ଦ୍ୱାରା ଭବିଷ୍ୟତରେ ପୃଥିବୀରୁ ମାନବଜାତି ସଂପୂର୍ଣ୍ଣ ରୂପେ ଲୋପ ପାଇପାରେ । ଏସବୁ ବ୍ୟତୀତ କୌଣସି ବୃହତ୍ ଗ୍ରହାଣୁ ସହ ଧକ୍କା ହେଲେ, ଶକ୍ତିଶାଳୀ ଆଗ୍ନେୟ ଉଦଗୀରଣ ହେଲେ, ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ନଷ୍ଟ ହେଲେ, ସୂର୍ଯ୍ୟ କିମ୍ବା କୌଣସି ନିକଟତମ ନକ୍ଷତ୍ରରେ ଗାମା ରଶ୍ମୀ ବିସ୍ଫୋରଣ ହେଲେ ପୃଥିବୀରେ ଅଧିକାଂଶ ପ୍ରଜାତିର ଜୀବ ଲୋପ ପାଇପାରନ୍ତି ।  କେବଳ ଏହି ସବୁ ଆକଳନ ନୁହେଁ, ପୃଥିବୀ ଧ୍ୱଂସ ହେବା ପାଇଁ ଏକ ଠୋସ୍ କାରଣ ମଧ୍ୟ ରହିଛି । ସୌରଜଗତର ଶକ୍ତିର ଉତ୍ସ ତଥା ଆମ ନିକଟତମ ନକ୍ଷତ୍ର ସୂର୍ଯ୍ୟ ନିଜ ଜୀବନଚକ୍ରର ଶେଷ ପର୍ଯ୍ୟାୟରେ (ରେଡ୍ ଜାଏଣ୍ଟ୍) ପହଞ୍ଚିଲେ କେବଳ ପୃଥିବୀ ନୁହେଁ, ସୌରଜଗତର ସମସ୍ତ ଗ୍ରହ ଓ ଉପଗ୍ରହ ସୂର୍ଯ୍ୟରେ ବିଲୀନ ହେବ । ତେଣୁ ଦିନେ ନା ଦିନେ ମହାବିନାଶ ଅବଶ୍ୟମ୍ଭାବୀ ।

Loading...

କେତେ ଆଗେଇଛି ବିଜ୍ଞାନ:
ଏହିସବୁ ବିନାଶକାରୀ ଶକ୍ତିଗୁଡ଼ିକ ମଧ୍ୟରୁ ଅଧିକାଂଶର ମୁକାବିଲା ପାଇଁ ବା ସେଥିରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ ଆମ ପାଖରେ ଯଥେଷ୍ଟ ଶକ୍ତି ନାହିଁ କି ଜ୍ଞାନ କୌଶଳ ବି ନାହିଁ । ତେଣୁ ମାନବଜାତିକୁ ଲୋପ ପାଇବାରୁ ରକ୍ଷା କରିବା ପାଇଁ ଏକ ମାତ୍ର ପନ୍ଥା ପୃଥିବୀ ବ୍ୟତୀତ ଅନ୍ୟ ବାସୋପଯୋଗୀ ଗ୍ରହର ସନ୍ଧାନ କରିବା ଓ ସେଠାରେ ଜନବସତି ସ୍ଥାପନ କରିବା । କିନ୍ତୁ ବିଜ୍ଞାନ ଏଯାଏଁ ଏଦୁଇଟି କାର୍ଯ୍ୟରୁ ଗୋଟିଏରେ ବି ସଫଳ ହୋଇପାଇପାରିନାହିଁ । ଅର୍ଥାତ୍, ବୈଜ୍ଞାନିକଙ୍କୁ ନା ବାସୋପଯୋଗୀ ଗ୍ରହର ସନ୍ଧାନ ମିଳିଛି, ନା କୌଣସି ଗ୍ରହକୁ ବାସୋପଯୋଗୀ କରିବାର ଉପାୟ ।

ମାନବଜାତିକୁ ମହାବିନାଶରୁ ରକ୍ଷା କରିବା ଦିଗରେ ଗବେଷଣା କରିବାକୁ ଯାଇ ବୈଜ୍ଞାନିକମାନେ ଏବେ କେତୋଟି ବଡ଼ ପ୍ରଶ୍ନ ପାଖରେ ଅଟକିଛନ୍ତି । ପୃଥିବୀରେ ଜୀବନର ସୃଷ୍ଟି କେମିତି ହେଲା? ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ କ’ଣ? ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି କି? ଇତ୍ୟାଦି । ଏ ସମସ୍ତ ପ୍ରଶ୍ନ ପରସ୍ପର ସହ ଛନ୍ଦି ହୋଇ ରହିଛି । ତେବେ ଏସବୁ ସହ ଆଉ ଏକ ସମାନ୍ତରାଳ ଦିଗରେ ମଧ୍ୟ ଜୋରସୋରରେ ଗବେଷଣା ଚାଲିଛି । ଆମ ନିକଟସ୍ଥ କୌଣସି ଗ୍ରହ କିମ୍ବା ଉପଗ୍ରହରେ ଜନବସତି ସ୍ଥାପନ କରାଯାଇପାରିବ କି?

ପୃଥିବୀ ବାହାରେ ଜନବସତି ସମ୍ଭବ କି?
ନିକଟସ୍ଥ ଗ୍ରହ, ଉପଗ୍ରହ କହିଲେ, ପ୍ରଥମେ ପୃଥିବୀର ସବୁଠୁ ପାଖରେ ଥିବା ମହାକାଶୀୟ ପିଣ୍ଡ ତଥା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର କଥା ସାମ୍ନାକୁ ଆସେ । ଅନବରତ ଗ୍ରହାଣୁ ମାଡ଼ ଓ ବିପଜ୍ଜନକ ସୌର ବିକିରଣ ଦୃଷ୍ଟିରୁ ଚନ୍ଦ୍ରପୃଷ୍ଠରେ ରହିବା ମଣିଷ ପାଇଁ ସମ୍ଭବ ନୁହେଁ । ତେଣୁ ଚନ୍ଦ୍ରରେ ମାଟି ତଳେ ଘର କରି କିମ୍ବା କୌଣସି ପ୍ରାକୃତିକ ଗୁମ୍ଫା ଭିତରେ ବେସ୍ ଷ୍ଟେସନ୍ ତିଆରି କରିବାକୁ ଯୋଜନା ଚାଲିଛି । ବହୁ ବୈଜ୍ଞାନିକ ବୃହସ୍ପତି, ଶନି, ୟୁରାନସ୍ କିମ୍ବା ନେପଚୁନର ଉପଗ୍ରହ ଜନବସତି ପାଇଁ ଅପେକ୍ଷାକୃତ ପ୍ରକୃଷ୍ଟ ବୋଲି ଯୁକ୍ତି ବାଢ଼ନ୍ତି । କାରଣ କେତେକ ଉପଗ୍ରହରେ ବରଫ ଆକରରେ ପାଣି, କାର୍ବନ୍ ଓ ଯବକ୍ଷାରଜାନ ଥିବା ବିଶ୍ୱାସ କରାଯାଏ । ମଙ୍ଗଳ ଗ୍ରହ ବି ଭବିଷ୍ୟତରେ ଜନବସତି ପାଇଁ ଏକ ଉପଯୁକ୍ତ ସ୍ଥାନ ହୋଇପାରେ ବୋଲି ଅନୁମାନ କରାଯାଉଛି ।

କାରଣ ସେଠାରେ ସାମାନ୍ୟ ବାୟୁମଣ୍ଡଳ ରହିଛି, ଯାହାକି ସୌର ବିକିରଣରୁ କିଛି ମାତ୍ରାରେ ସୁରକ୍ଷା ପ୍ରଦାନ କରେ । ସେଠାରେ ବରଫ ଥିବାର ମଧ୍ୟ ସୂଚନା ମିଳିଛି । ଏଥିସହ ମଙ୍ଗଳର ମାଟିରେ କିଛି ପରିମାଣର ଅଙ୍ଗାରକ ବା କାର୍ବନ୍ ଥିବାରୁ ତାହା କୃଷି ପାଇଁ ମଧ୍ୟ ସହାୟକ ହୋଇପାରେ । ତେଣୁ ଭୂତଳ ବରଫରୁ ଜଳ ସଂଗ୍ରହ କରି ସେଠାରେ ଏକ ବାସୋପଯୋଗୀ ପରିବେଶ ସୃଷ୍ଟିର କିଛି ମାତ୍ରାରେ ସମ୍ଭାବନା ଥିବା କୁହାଯାଇପାରେ । ଅନ୍ୟ ଗ୍ରହ ଓ ଉପଗ୍ରହକୁ ବାସୋପଯୋଗୀ କରିବା ଅପେକ୍ଷା ପୃଥିବୀରୁ ଜୀବନ ଧାରଣର ସମସ୍ତ ସାଧନ ନେଇ, ମହାକାଶରେ ଏକ କୃତ୍ରିମ ଜନବସତି ତିଆରି ପାଇଁ ମଧ୍ୟ ଅନେକ ବୈଜ୍ଞାନିକ ପ୍ରସ୍ତାବ ଦେଇଛନ୍ତି, ଯାହାକି ଅନ୍ୟ ଗ୍ରହ, ଉପଗ୍ରହ ଭଳି ମହାଶୂନ୍ୟରେ ଘୁରି ବୁଲିବ ।

କିନ୍ତୁ ମହାକାଶରେ ଏକ ବୃହତ୍ ଜନବସତି ତିଆରି କରିବା ସହଜ ନୁହେଁ । ସେଥିପାଇଁ ଆବଶ୍ୟକ ବିପୁଳ ପରିମାଣର ଧାତବ ଓ ଅନ୍ୟାନ୍ୟ ସାମଗ୍ରୀ ମହାକାଶକୁ ନେବା ଏକ ପ୍ରକାର ଅସମ୍ଭବ ବ୍ୟାପାର । ତେବେ ବିଜ୍ଞାନ ଓ ବିକାଶର ଅନ୍ତ ନାହିଁ । ପୃଥିବୀ ବାହାରେ ଜନବସତି ସ୍ଥାପନ ଦିଗରେ ବୈଜ୍ଞାନିକମାନେ ନିରନ୍ତର ଗବେଷଣା ଜାରି ରଖିଛନ୍ତି ଓ ସେମାନଙ୍କୁ କେତେକ କ୍ଷେତ୍ରରେ ଆଂଶିକ ସଫଳତା ମଧ୍ୟ ମିଳିଛି ।

ସୌରଜଗତ ବାହାରେ ଜୀବନର ସନ୍ଧାନ 
ଯଦି ଆମେ ସୌରଜଗତ ବାହାରକୁ ଦେଖିବା, ତେବେ ଅନ୍ୟ ନକ୍ଷତ୍ର ଚାରିକଡ଼େ ମଧ୍ୟ ଗ୍ରହ ଓ ଉପଗ୍ରହ ବୁଲୁଥାନ୍ତି । ସେଗୁଡ଼ିକ ମଧ୍ୟରେ ବି ଜୀବନ ଧାରଣ କଲାଭଳି କିଛି ଉପଯୁକ୍ତ ଗ୍ରହ ଥାଇପାରେ । ତେବେ କୌଣସି ଗ୍ରହ ମଣିଷର ବାସୋପଯୋଗୀ ହେବା ପାଇଁ କେତେ ଗୁଡ଼ିଏ ସର୍ତ୍ତ ରହିଛି । ଗ୍ରହଟି ନିଜର ନକ୍ଷତ୍ରର ଅତ୍ୟଧିକ ନିକଟରେ କିମ୍ବା ବହୁ ଦୂରରେ ନଥିବ । ସେଠାରେ ତରଳ ଅବସ୍ଥାରେ ଜଳ ରହିଥିବ, ଅମ୍ଳଜାନ ଥିବ, ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଓ ବାୟୁମଣ୍ଡଳ ଥିବ ଏବଂ କ୍ଷତିକାରକ ବିକିରଣ ରକ୍ଷା କରିବାକୁ ଚୁମ୍ବକୀୟ କ୍ଷେତ୍ର ଥିବ ଇତ୍ୟାଦି । ତେବେ ୨୦୧୫ ମସିହାରେ ଏକ ବୈଜ୍ଞାନିକ ଦଳ ଆମଠାରୁ ୩୯ ଆଲୋକବର୍ଷ ଦୂରରେ ଥିବା ଟ୍ରାପିଷ୍ଟ-1 ନାମକ ଏକ ନକ୍ଷତ୍ର ଠାବ କରିଥିଲେ, ଯାହା ଚାରିପଟେ ବୁଲୁଥିବା କିଛି ଗ୍ରହରେ ଜୀବନ ଧାରଣର କ୍ଷମତା ଥିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆମ ସାମର୍ଥ୍ୟ ସୀମିତ!
କେବଳ ଏହି ଗୋଟିଏ ନୁହେଁ, ବିଭିନ୍ନ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ମଧ୍ୟ ବହୁ ଗ୍ରହ ଠାବ ହୋଇଛି, ଯାହାକି ପୃଥିବୀ ସହ ଅନେକ କ୍ଷେତ୍ରରେ ତୁଳନୀୟ । କିନ୍ତୁ ସେସବୁ ଗ୍ରହକୁ ଯାଇ ପରୀକ୍ଷାନିରୀକ୍ଷା କରିବା ମଣିଷ ପାଇଁ ସମ୍ଭବ ନୁହେଁ । କାରଣ ଏବେ ଯାଏଁ ସେତେ ଦୀର୍ଘ ସମୟ ଓ ଦୀର୍ଘ ଦୂରତା ଅତିକ୍ରମ କଲା ଭଳି ମହାକାଶଯାନ ନିର୍ମାଣ ସମ୍ଭବ ହୋଇନାହିଁ । ଉଦାହରଣ ସ୍ୱରୂପ, ସୌରଜଗତ ବାହାରେ ଆମର ନିକଟତମ ନକ୍ଷତ୍ର ପ୍ରକ୍ସିମା ସେଣ୍ଟାଉରି ଆମ ଠାରୁ ୪.୨୪ ଆଲୋକବର୍ଷ ଦୂରରେ ରହିଛି । ତେଣୁ ଆମେ ଯଦି ଆଲୋକ ଭଳି ସେକେଣ୍ଡ୍ ପ୍ରତି ୩ ଲକ୍ଷ କିଲୋମିଟର ବେଗରେ ଗତି କରୁଥିବା ମହାକାଶଯାନରେ ପ୍ରୋକ୍ସିମା ସେଣ୍ଟାଉରିକୁ ଯିବା, ତେବେ ସେଠାରେ ପହଞ୍ଚିବା ପାଇଁ ୪ ବର୍ଷରୁ ଅଧିକ ସମୟ ଲାଗିବ ।

କିନ୍ତୁ ଏଯାଏଁ ଆଲୋକ ବେଗରେ ଯିବା ଭଳି ମହାକାଶଯାନ ନିର୍ମାଣ ସମ୍ଭବ ହୋଇନାହିଁ । ଆମେ ଏଯାଏଁ ଆଲୋକ ବେଗର 0.01 ପ୍ରତିଶତ ଅର୍ଥାତ୍ ଶହେ ଭାଗରୁ ଏକ ଭାଗ ବେଗରେ ଗତି କଲା ଭଳି ମହାକାଶ ଯାନ ତିଆରି କରିବାରେ ସଫଳ ହୋଇପାରିନାହୁଁ । କିନ୍ତୁ ହିସାବ କରି ଜଣାଯାଇଛି ଯେ, ଆଲୋକର ବେଗ ନହେଲେ ବି ଆଲୋକ ପାଖାପାଖି ବେଗରେ ଗତିକରୁଥିବା ଯାନ ନିର୍ମାଣ ଗଣିତ ଅନୁସାରେ ସମ୍ଭବ । ତେଣୁ ବୈଜ୍ଞାନିକମାନେ ବାସୋପଯୋଗୀ ଗ୍ରହର ସନ୍ଧାନ କରିବା ପର୍ଯ୍ୟନ୍ତ ଓ ସେଠାକୁ ଯିବା ପାଇଁ  ଦ୍ରୁତଗାମୀ ଯାନର ନିର୍ମାଣ ସମ୍ଭବ ହେବା ପର୍ଯ୍ୟନ୍ତ ମାନବଜାତିକୁ ଅପେକ୍ଷା କରିବାକୁ ପଡ଼ିବ ।

ଆମେ କ’ଣ କରିପାରିବା?
କେବଳ ବୈଜ୍ଞାନିକ ନୁହନ୍ତି, ଏଦିଗରେ ଆମେ ମଧ୍ୟ ଚାହିଁଲେ ନିଜର ଯଥାସାଧ୍ୟ ଯୋଗଦାନ ଦେଇପାରିବା । ଏଥିପାଇଁ କୌଣସି ଗବେଷଣାଗାର କିମ୍ବା ଉଚ୍ଚ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । କିନ୍ତୁ କେମିତି? ବୈଜ୍ଞାନିକମାନେ ବାସପଯୋଗୀ ଗ୍ରହର ସନ୍ଧାନ, ଅନ୍ୟ ଗ୍ରହ କିମ୍ବା ଉପଗ୍ରହରେ ଜନବସତି ନିର୍ମାଣ ଓ ସେଠାରେ ପହଞ୍ଚିବା ପାଇଁ ମହାକାଶଯାନର ନିର୍ମାଣ ଦିଗରେ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ବିଜ୍ଞାନ ଆଗେଇ ଚାଲିଛି । ନୂଆନୂଆ ଉଦ୍ଭାବନ ଓ ଆବିଷ୍କାର ହେଉଛି । କିନ୍ତୁ ଏଦିଗରେ ପୂର୍ଣ୍ଣ ସଫଳତା ନମିଳିବା ପର୍ଯ୍ୟନ୍ତ ଆମକୁ ଏଇ ପୃଥିବୀରେ ହିଁ ରହିବାକୁ ପଡ଼ିବ । ହୁଏତ ଆମ ପିଢ଼ି କିମ୍ବା ଆଗାମୀ ବହୁ ପିଢ଼ିଙ୍କ ଭାଗ୍ୟରେ ଅନ୍ୟ ଗ୍ରହରେ ଘର ତିଆରି କରି ରହିବା ଲେଖା ନଥାଇପାରେ ।

ତେବେ ଆଶା ରହିଛି, କେବେ ନା କେବେ ଏଦିଗରେ ନିଶ୍ଚୟ ସଫଳତା ମିଳିବ । ତେଣୁ ସେପର୍ଯ୍ୟନ୍ତ ମାନବଜାତିର ପ୍ରଥମ ଦାୟିତ୍ୱ ହେଲା, ପୃଥିବୀକୁ ଯେତେ ଅଧିକ ଦିନ ସମ୍ଭବ ବାସୋପଯୋଗୀ କରିବା ଦିଗରେ ନିଜର ଯୋଗଦାନ ଦେବା । ଏଥିପାଇଁ ପ୍ରମୁଖ ଆହ୍ୱାନ ହେଲା ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ବଳର ଦ୍ରୁତକ୍ଷୟକୁ ରୋକିବା । ଆମେ ଜାଣିଛୁ ଯେ, ବୃକ୍ଷରୋପଣ ସହ ଜଙ୍ଗଲକୁ ଧ୍ୱଂସମୁଖରୁ ରକ୍ଷା କରିବା, ସମସ୍ତ ପ୍ରକାର ପ୍ରଦୂଷଣ ରୋକିବା ଓ ଜୈବ ବିବିଧତାର ସଂରକ୍ଷଣ ଆଦି ଦ୍ୱାରା ଏହା ଅନେକାଂଶରେ ସମ୍ଭବ । ତେଣୁ ଆମେ ଆମ ଦାୟିତ୍ୱ ନିର୍ବାହ କରିବା ଏବଂ ବୈଜ୍ଞାନିକଙ୍କୁ ସେମାନଙ୍କ କାର୍ଯ୍ୟ କରିବା ପାଇଁ ଅଧିକରୁ ଅଧିକ ସମୟ ଓ ସୁଯୋଗ ଦେବା ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.