ଭୁବନେଶ୍ୱର, -ଶତ୍ରୁ ପକ୍ଷର ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ଲାଗି ଓଡ଼ିଶା ପୋଲିସ ଆଣ୍ଟି ଡ୍ରୋନ ସିଷ୍ଟମ ବ୍ୟବହାର କରିବ । ଆତଙ୍କବାଦୀ ଓ ମାଓବାଦୀ ମାନଙ୍କର ରଣକୌଶଳ କୁ ପଣ୍ଡା କରିଦେବାପାଇଁ ଓଡିଶା ପୋଲିସ ଆଉ ଦୁଇପଦ ଆଗକୁ ଯିବାପାଇଁ ଯୋଜନା ପ୍ରସ୍ତୁତ କରି ସାରିଛି ଆତଙ୍କବାଦୀ ମାନେ ବ୍ୟବହାର କରୁଥିବା ଉନ୍ନତ ଜ୍ଞାନକୌଶଳ ଦେଶ ତଥା ରାଜ୍ୟର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଅପରାଧୀମାନେ ମଧ୍ୟ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଅପରାଧ ଘଟାଉଛନ୍ତି, ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ହେଉଛି। ତେଣୁ ପ୍ରତିପକ୍ଷର ଗତ ବୁଧବାର ଏକ ଜର୍ମାନ କମ୍ପାନୀ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଏହି ଆଣ୍ଟି ଡ୍ରୋନ ସିଷ୍ଟମ୍ର ଡେମୋ ପରୀକ୍ଷା ମୂଳକ ଭାବେ ପ୍ରଦର୍ଶନ କରିଛି।
ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଆକାଶମାର୍ଗରୁ ବୋମା ପକାଇ ଆକ୍ରମଣ କରୁଛନ୍ତି। ଗତ ଅଗଷ୍ଟ ୫ରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସଭା କାର୍ଯ୍ୟରେ ଡ୍ରୋନ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା। ସେହିପରି ଗତ ୬ ତାରିଖରେ ସୌଦି ଆରବର ଆଭା ବିମାନବନ୍ଦରରେ ଡ୍ରୋନ ଆକ୍ରମଣ ଉଦ୍ୟମ କରାଯାଇଥିଲା। ଏହାପରେ ଆମେରିକାର ହ୍ବାଇଟ୍ ହାଉସ୍ରେ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି। ବର୍ତ୍ତମାନ ଓଡିଶାର ପୁରୀ, ଚାନ୍ଦିପୁର, ଚାରବାଟିଆ, ସୁନାବେଡ଼ାର ହାଲ୍, ଭୁବନେଶ୍ୱର ଭଳି ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ଗୋଇନ୍ଦା ସୂଚନା ମିଳିଛି। ଆଗକୁ ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନ ହେବାକୁ ଥିବାବେଳେ ରାଜ୍ୟର ସମ୍ବେନଦଶୀଳ ସ୍ଥାନଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଆଣ୍ଟି ଡ୍ରୋନ ସିଷ୍ଟମ ବ୍ୟବହାର କରିବାକୁ ରାଜ୍ୟ ପୋଲିସ ବିଭାଗ ଯୋଜନା କରିଛି। ଆଣ୍ଟି ଡ୍ରୋନ ନିର୍ମାଣ କରୁଥିବା ଜର୍ମାନୀର ଏକ ଘରୋଇ କମ୍ପାନୀ ସହିତ ଭୁବନେଶ୍ୱର କ୍ୟାମ୍ପ ଅଫିସରରେ ପୋଲିସ ଡିଜି ଆର. ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନା ପରେ କମ୍ପାନୀର ଏକ୍ସପର୍ଟମାନେ ଡେମୋ ଦେଖାଇଥିଲେ। ବେଆଇନ ଭାବେ ତଥା ଆପରାଧିକ ଉଦ୍ଦେଶ୍ୟ ରଖି ବ୍ୟବହାର କରାଯାଉଥିବା ଡ୍ରୋନକୁ ଚିହ୍ନଟ କରିବା ସହ ଓଡିଶାର ସମ୍ବେଦନଶୀଳ ସ୍ଥାନଗୁଡିକର ସୁରକ୍ଷା ଦୃଷ୍ଟିରୁ ଏହାକୁ ଖୁବ ଶୀଘ୍ର ବ୍ୟବହାର କରାଯିବ ବୋଲି ଡିଜିପି ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ୨ରୁ ୧୦ କି.ମି. ମଧ୍ୟରେ ଉଡୁଥିବା ଡ୍ରୋନକୁ ଆଣ୍ଟି ଡ୍ରୋନ ସିଷ୍ଟମ ନିଜସ୍ବ ଜ୍ଞାନକୌଶଳ ମାଧ୍ୟମରେ ଚିହ୍ନଟ କରିବାର କ୍ଷମତା ରଖିଛି। ଡ୍ରୋନ ଜରିଆରେ ହେବାକୁ ଥିବା ଆକ୍ରମଣ ଏବଂ ତାହାର ମାତ୍ରାକୁ ଏହା ଆକଳନ କରିପାରିବ। ନିଜସ୍ବ ଜାମର ମାଧ୍ୟମରେ ଆକ୍ରମଣକୁ ପ୍ରତିରୋଧ କରିବା ସହ ଡ୍ରୋନକୁ ନିଜ ନିୟନ୍ତ୍ରଣକୁ ଆଣି ଅନ୍ୟତ୍ର ନେଇଯାଇପାରିବ। ଏହି ଡ୍ରୋନକୁ କିଏ ଏବଂ କେଉଁଠାରେ ବ୍ୟବହାର କରୁଛନ୍ତି ତାହାକୁ ମଧ୍ୟ ଠାବ କରିପାରିବ।
ବିନା ଅନୁମତିରେ ଉଡିବନି ଡ୍ରୋନ
ଏଣିକି ପୋଲିସର ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ବଜାରରେ ଡ୍ରୋନ କ୍ୟାମେରା ସହଜରେ ମିଳୁଥିବାରୁ ଯେ କେହି ଏହାର ବ୍ୟବହାର କରିପାରୁଛନ୍ତି। ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ତଥା ନିଷିଦ୍ଧାଞ୍ଚଳରେ ଡ୍ରୋନ କ୍ୟାମେରା ମାଧ୍ୟମରେ ଫଟୋ ଏବଂ ଭିଡିଓ ଉତ୍ତୋଳନ କରାଯାଉଛି। ଅନେକ ଆତଙ୍କବାଦୀ ଏବଂ ମାଓବାଦୀ ସଂଗଠନ ଏହାର ଫାଇଦା ଉଠାଉଛନ୍ତି ବୋଲି କେନ୍ଦ୍ରୀୟ ଗୋଇନ୍ଦା ବ୍ୟୁରୋ ସତର୍କ କରାଇଛି। ତେଣୁ ଜିଲା ଏସ୍ପି ଏବଂ କମିଶନରେଟ ପୋଲିସ ନିକଟରେ ବ୍ୟବହାରକାରୀମାନେ ଡ୍ରୋନ କ୍ୟାମେରାର ପଞ୍ଜୀକରଣ କରି ଅନୁମତି ନେବେ। ଯଦି କେହି ବିନା ଅନୁମତିରେ ଡ୍ରୋନ କ୍ୟାମେରା ଉଡ଼ାନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁଧବାର ଡିଜି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ବୈଠକରେ ଡିଜିପି କହିଛନ୍ତି। ଆଗାମୀ ଡିସେମ୍ବର ୧ରୁ କେନ୍ଦ୍ର ସରକାର ଏ ନେଇ ନୂଆ ଆଇନ ଆଣିବା ପରେ ଏହା ରାଜ୍ୟରେ ଲାଗୁ କରାଯିବବୋଲି ଜଣାପଡିଛି ।
- 7Shares