ନୂଆଦିଲ୍ଲୀ : ଗତ ମାସରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଭାରତର ୪୦ଜଣ ଯବାନ ସହିଦ୍ ହୋଇଥିଲେ । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ଭାରତୀୟ ଦଳର ସମସ୍ତଙ୍କ ଖେଳାଳୀ ଆର୍ମି କ୍ୟାପ୍ ପିନ୍ଧି ଖେଳିଥିଲେ । ଏହା ସହ ଖେଳାଳୀମାନେ ସେମାନଙ୍କୁ ମ୍ୟାଚ୍ ପାଉଣାକୁ ଜାତୀୟ ସୁରକ୍ଷା ପାଣ୍ଠିକୁ ମଧ୍ୟ ଦାନ କରିଥିଲେ । ତେବେ ଭାରତୀୟ ଖେଳାଳୀମାନେ ସହିଦ୍ ଯବାନମାନଙ୍କୁ ସମ୍ମାନ ଜଣାଇବାକୁ ଯାଇ ଏପରି କରିଥିବା ବେଳେ ପାକିସ୍ତାନ ଏହାକୁ ‘ରାଜନୀତିକରଣର’ ନାଁ ଦେଇଥିବା ଜଣା ପଡ଼ିଛି । ପାକିସ୍ତାନ ଏ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦକୁ ଭାରତୀୟ କ୍ରିକେଟ ଖେଳାଳୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିବା ସାମ୍ନାକୁ ଆସିଛି । ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଏଭଳି ଦାବି କରିଛନ୍ତି ।
ସୂଚନା ମୁତାବକ, ଭାରତୀୟ କ୍ରିକେଟ ଟିମ୍ ଶୁକ୍ରବାର ରାଞ୍ଚିରେ ହୋଇଥିବା ଦିନିକିଆରେ ଆର୍ମି ଟୋପି ପିନ୍ଧିବେ ବୋଲି ଘୋଷଣା କରିଥିଲା ବିସିସିଆଇ । ଏହି ଘୋଷଣା କରିବା ପୂର୍ବରୁ ବିସିସିଆଇ ଆଇସିସି ସହିତ ଆଲୋଚନା କରିଥିବା ମଧ୍ୟ ସ୍ପଷ୍ଟ କରିଥିଲା । କିନ୍ତୁ ଏବେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ପାକିସ୍ତାନର କ୍ରିକେଟ ବୋର୍ଡକୁ ଏକ ଅନୁରୋଧ କରିଛନ୍ତି । ପାକିସ୍ତାନର କ୍ରିକେଟ ବୋର୍ଡ ଆଇସିସି ସହ ମିଶି ଭାରତ ବିରୋଧରେ ଆର୍ମି ଟୋପି ପିନ୍ଧିବା ନେଇ ଆନ୍ଦୋଳନ କରୁ ବୋଲି ସେ କହିଛନ୍ତି । ଯଦି ଭାରତୀୟ ଟିମ୍ ଆର୍ମି ଟୋପି ପିନ୍ଧିବା ବନ୍ଦ ନ କରେ ତେବେ ପାକିସ୍ତାନ ଖେଳାଳୀମାନେ ମଧ୍ୟ କଳା ବ୍ୟାଣ୍ଡ ପିନ୍ଧିବା ଆରମ୍ଭ କରିବେ । କଳା ବ୍ୟାଣ୍ଡ ପିନ୍ଧି ଭାରତ ଅଧିକୃତ କଶ୍ମୀରବାସୀଙ୍କ ସହ କିଭଳି ଅତ୍ୟାଚାର କରାଯାଉଛି, ତାହା ମନେ ପକାଇବେ ବୋଲି କହିଛନ୍ତି ଫଓ୍ଵାଦ ଚୌଧୁରୀ ।
- 24Shares