ଦୁବାଇ, ୨୧।୯ : ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଶୁକ୍ରବାର ବାଂଲାଦେଶକୁ ଭେଟିବ ଭାରତ। ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଦଳ ହଂକଂ ଓ ପାକିସ୍ତାନକୁ ପରାସ୍ତ କରିଥିବାରୁ ଖେଳାଳିଙ୍କ ମନୋବଳ ବେଶ୍ ଉଚ୍ଚରେ ରହିଛି ଏବଂ ସେମାନେ ବାଂଲାଦେଶକୁ ପରାସ୍ତ କରି ସୁପର-୪ ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବାକୁ ଆଶାବାଦୀ। ଅନ୍ୟପକ୍ଷରେ ଆଘାତଜନିତ କାରଣରୁ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍ ଓ ସାର୍ଦ୍ଦୁଳ ଠାକୁର ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି। ବିଶେଷ କରି ହାର୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡ଼ିବା ଚିନ୍ତାର ବିଷୟ ହୋଇପାରେ। ସେହିପରି କ୍ରମାଗତ ଭାବେ ଦୁଇଟି ମ୍ୟାଚ୍ ଖେଳିଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳା ନ ଯାଇ ବିଶ୍ରାମ ଦିଆଯାଇ ପାରେ ବୋଲି ଆଲୋଚନା ହେଉଛି। ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ। ତେବେ ହାର୍ଦିକଙ୍କ ସ୍ଥାନରେ କିଏ ଖେଳିବେ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଅକ୍ଷର ପଟେଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁରଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବାଂଲାଦେଶକୁ ଦୁର୍ବଳ ମନେ କରିବା ଭାରତ ପାଇଁ କ୍ଷତିକାରକ ହେବ। ଏହି ଦଳ ଦିନିକିଆରେ ବେଶ୍ ଭଲ ପ୍ରଦର୍ଶନ କରୁଥିବାରୁ ଭାରତକୁ ସତର୍କ ରହିବାକୁ ପଡ଼ିବ। ଦଳରେ ମୋର୍ତାଜା, ମୁସ୍ଫିକୁର ରହିମ୍, ସାକିବ ଅଲ୍ ହସନ୍, ମହମ୍ମଦୁଲ୍ଲାଙ୍କ ଭଳି ଖେଳାଳି ଅଛନ୍ତି। ଦଳରେ ମୁସ୍ତାଫିଜୁର ରେହମାନ୍ ଓ ରୁବେଲ ହୁସେନ୍ ଦ୍ରୁତ ବୋଲର ଭାବେ ଅଛନ୍ତି। ତେଣୁ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
- 6Shares