ସମାଜସେବୀରୁ ରାଜନେତା ହେଲେ “ଅଚ୍ୟୁତ ସାମନ୍ତ”

ଓଡିଶା ନ୍ୟୁଜ୍

ଭୁବନେଶ୍ୱର, ୦୭/୦୩: ପ୍ରକୃତରେ ଡ. ଅଚ୍ୟୁତ ସାମନ୍ତ କିଏ ? ସମାଜସେବୀ, ଶିକ୍ଷାବିତ୍ ନା ରାଜନେତା ? କାରଣ ଏ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଏଥିପାଇଁ ସୃଷ୍ଟି ହୋଇଛି କି ଅଚ୍ୟୁତ ସାମନ୍ତ ଏହା ପୂର୍ବରୁ ସମାଜସେବୀ ଓ ଶିକ୍ଷାବିତ୍ ଭାବେ ପରିଚିତ ଥିଲେ । କିନ୍ତୁ ହଠାତ୍ ବିଜେଡିରେ ଯୋଗଦେବା ପରେ ରାଜନେତା ପାଲଟିଗଲେ ଏବଂ ରାଜ୍ୟସଭା ଟିକେଟ ମଧ୍ୟ ହାତେଇଲେ । ଏହି ଘଟଣା ମନରେ ଯେତିକି ଆଲୋଡ଼ନ ସୃଷ୍ଟି କରୁନି ତାଠାରୁ ଢ଼େର ଅଧିକ ଆଶ୍ଚର୍ଯ୍ୟ କରିଛି ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବଂ ତାଙ୍କ କାର୍ଯ୍ୟକଳାପ । କିଛି ଦିନ ପୂର୍ବରୁ ଖୋଦ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ କେବଳ ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କୁ ହିଁ ରାଜ୍ୟସଭା ଟିକେଟ୍ ମିଳିବ । କିନ୍ତୁ ହଠାତ୍ କ’ଣ ହେଲା ଆଜି ସକାଳେ ଜଣେ ଶିକ୍ଷାବିତ୍ ତଥା ସମାଜସେବୀ ଏବଂ ସର୍ବୋପରି ରାଜନୀତିରେ ଅନଭିଜ୍ଞ ଜଣେ ବ୍ୟକ୍ତିଙ୍କୁ ଦଳରେ ସାମିଲ କରାଯାଇ ସଂଧ୍ୟାରେ ରାଜ୍ୟସଭା ପ୍ରୀର୍ଥୀ ଭାବେ ନାମ ଘୋଷଣା କରାଗଲା । ଦଳରେ ବହୁ ବରିଷ୍ଠ ତଥା ଅଭିଜ୍ଞ ନେତା ଥିବା ସତ୍ୱେ ଡ. ସାମନ୍ତଙ୍କୁ ସୁଯୋଗ ଦେବା ପଛରେ କ’ଣ ଉଦ୍ଦେଶ୍ୟ ଥାଇପାରେ ? ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହା ଏକ ସୁଚିନ୍ତିତ ରଣନୀତି ନୁହେଁ ତ ? କାରଣ ବିନା କୌଣସି ସରକାରୀ ସହାୟତାରେ ଡ. ସାମନ୍ତ ନିଜ ଶିକ୍ଷାନୁଷ୍ଠାନରେ ୨୭ହଜାର ଆଦିବାସୀ ପିଲାମାନଙ୍କୁ ମାଗଣାରେ ପଢ଼ାଉଥିବା କଥା କୁହନ୍ତି । ଯେଉଁଥିପାଇଁ ପିଲାମାନଙ୍କର ଅଭିଭାବକମାନେ ଡ.ସାମନ୍ତଙ୍କୁ ଭଗବାନ ବୋଲି ସମ୍ବୋଧନ କରନ୍ତି । ତେବେ ଏଭଳି ପରିସ୍ଥିତିରେ ପଶ୍ଚିମ ଓଡ଼ିଶା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଡ. ସାମନ୍ତଙ୍କ ଜରିଆରେ ବିଜେଡି ଆହୁରି ଲୋକାଭିମୁଖୀ ହେବା ସହ ସଂଗଠିତ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

Loading...

 

ବୁଧବାର ୬ଘଣ୍ଟାର ରାଜନୀତି ସାରା ରାଜ୍ୟରେ ଚହଳ ପକାଇଛି । କାରଣ ସବୁ ସମୟରେ ନିଜର ମାଷ୍ଟରଷ୍ଟ୍ରୋକ ପାଇଁ ପରିଚିତ ନବୀନ ଆଉ ଏକ ଷ୍ଟ୍ରୋକ ମାରି ରାଜନୀତି ବିଷାରଦମାନଙ୍କ ଅଙ୍କକୁ ଭୁଲ ପ୍ରମାଣିତ କରିଛନ୍ତି । କିଛି ଦିନ ପୂର୍ବରୁ ରାଜ୍ୟସଭା ପଦ ପାଇଁ ଦଳମଧ୍ୟରେ ଅନେକ ରାଜନୈତିକ ଚେହେରା ସାମ୍ନାକୁ ଆସିଥିବା ବେଳେ ନବୀନଙ୍କ ରାଜନୈତିକ ଗୋଟି ଚାଳନା ସମସ୍ତଙ୍କୁ ଚକିତ କରିଛି । ଏହା ନବୀନଙ୍କ ସେହି ନିଆରା ମାଷ୍ଟରଷ୍ଟ୍ରୋକ ନୁହେଁ ତ ଆଉ କଣ ? ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ବହୁ ଜନଜାତି ପିଲାମାନଙ୍କ ଭବିଷ୍ୟତ ନିର୍ମାଣର ଗୁରୁଦାୟିତ୍ୱ ବହନ କରିଆସୁଛନ୍ତି ବୋଲି ନିଜେ ଅଚ୍ୟୁତ ସାମନ୍ତ କୁହନ୍ତି । ଏମିତିକି ତାଙ୍କର ରାଜନୀତିରେ କୌଣସି ଆଗ୍ରହ ନଥିବା କଥା ସେ ପୂର୍ବରୁ ପ୍ରକାଶ କରିଛନ୍ତି । କିନ୍ତୁ ହଠାତ୍ କାହା ସ୍ୱାର୍ଥରେ ଏବଂ କେଉଁ ପରିସ୍ଥିତିରେ ଡ. ସାମନ୍ତ ରାଜନୀତି ମଇଦାନକୁ ଓହ୍ଲାଇଲେ ତାହା ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ କିମ୍ସରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରସଙ୍ଗ ଏବଂ କିସ ପାଇଁ ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ଡ. ସାମନ୍ତ ଚର୍ଚ୍ଚାରେ ଥିଲେ ।
ଅନ୍ୟପଟେ ନବୀନଙ୍କ ନିଷ୍ପତ୍ତି ଇଙ୍ଗିତ କରୁଛି କି ରାଜନୀତି କରିବାକୁ ହେଲେ ଆବଶ୍ୟକ ମାତ୍ର ୬ଘଣ୍ଟା ସମୟ । କାରଣ ପୂର୍ବାହ୍ନ ୧୧ଟାରେ ଦଳରେ ଯୋଗଦେଇଥିବା ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ଅପରାହ୍ନ ୫ଟା ସୁଧା କିପରି ଜଣେ ସଫଳ ରାଜନେତା ହୋଇପାରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

 

 

Loading...
Share It
  • 6
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.