ଖେଳ ଖବର

ଭାରତ-ଇଂଲଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି

କୋଲକାତା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫି ହାତଛଡ଼ା କରିବାର ବିଫଳତା ପରେ ଭାରତୀୟ ଦଳ ଏହାକୁ ପଛରେ ପକାଇ ପ୍ରଶଂସକଙ୍କୁ ନୂଆ ବର୍ଷରେ ନୂଆ ଖୁସି ଦେବ ବୋଲି ବିଶ୍ବାସ କରାଯାଉଛି। ଉଭୟ ଦଳ ମଧ୍ୟ ପାୱାର ଗେମ୍‌ରେ ଧୂରଂଧର ଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶାବାଦୀ ରହିଛନ୍ତି। ଭାରତୀୟ କ୍ରିକେଟ୍ କିନ୍ତୁ ଏକ ପରିବର୍ତ୍ତନ କାଳରେ ଗତି କରୁଥିବାରୁ ସୂର୍ଯ୍ୟକୁମାରଙ୍କ ଦଳ କେତେ କିରଣ ଦେଖାଇ ପାରୁଛି ତାହା ସମୟର ଆହ୍ବାନ ଆଣିଛି। ଜୋସ୍ ବଟଲରଙ୍କ ଦଳ କିନ୍ତୁ ଏହି ଫର୍ମାଟ୍‌ରେ ଅନ୍ୟତମ ଭୟଙ୍କର ଦଳ ହୋଇଥିବାରୁ ଭାରତକୁ ଘରୋଇ ମାଟିରେ ମାତ୍ ଦେବାକୁ ଯୋଜନା କରିଛି। ବ୍ୟକ୍ତିଗତ ଭାବେ ବଟଲର୍ ଇଡେନ୍ ଗା‌ର୍ଡେନ୍ସରେ ଗତବର୍ଷ ରାଜସ୍ଥାନ ରୟାଲ୍ସକୁ ଏକ ଶତକୀୟ ପାଳି ବଳରେ ବିଜୟୀ କରିଥିବାରୁ ଆତ୍ମବିଶ୍ବାସ ରଖିଛନ୍ତି। ଆକ୍ରମଣାତ୍ମକ କ୍ରିକେଟ୍‌କୁ ଉତ୍ସାହିତ କରୁଥିବା ‌ବ୍ରେଣ୍ଡନ୍ ମ୍ୟାକଲମ୍‌ଙ୍କ ଦିଗଦର୍ଶନ ବି ଏହି ଦଳକୁ ବିଶ୍ବ କ୍ରିକେଟ୍‌ରେ ନୂଆ ରୂପରେ ଉଭା କରିଛି। ଭାରତ କିନ୍ତୁ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ହେବା ପଥରେ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ହରାଇଥିବାରୁ ଏହାର ବଦଲା ନେବାକୁ ଭ୍ରମଣକାରୀ ଦଳ ଆଶା ରଖିଥିବ। ଇଡେନ୍ ଗାର୍ଡେନ୍ସ ମଧ୍ୟ ସୂର୍ଯ୍ୟକୁମାର ୟାଦବ, ସଂଜୁ ସାମସନ୍‌, ରିଙ୍କୁ ସିଂହ ପ୍ରମୁଖଙ୍କ ପାଇଁ ବିଭିନ୍ନ ସମୟରେ ସଫଳତାର ଛାପ ରଖିଛି। ଟ୍ବେଣ୍ଟି-୨୦ କ୍ରି‌କେଟ୍ କ୍ରମେ ହାଇସ୍କୋରିଂ ହେବାରେ ଲାଗିଛି, ଇଡେନ୍ ଗାର୍ଡେନ୍ସ ବି ଏହି ଧାରାରେ ରହିଛି। ଗତବର୍ଷ ଆଇପିଏଲ୍‌ରେ ଏଠାରେ ୮ ଥର ୨୦୦ରୁ ଊର୍ଧ୍ବ ରନ୍‌ ସ୍କୋର୍‌ ହୋଇଛି। କେକେଆର୍‌ର ୨୬୧ ରନ୍‌ ପାଳିକୁ ବି ପଛରେ ପକାଇବା ଭଳି ରେକର୍ଡ କରିଥିଲା ପଞ୍ଜାବ କିଙ୍ଗ୍ସ। ଇଡେନ୍ ଗାର୍ଡେନ୍ସରେ ୨୦୨୪ ଆଇପିଏଲ୍‌ରେ ପଶ୍ଚାତଧାବନ ବେଳେ ୭ରୁ ୪ ଥର ବିଜୟୀ ହୋଇଛନ୍ତି।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button