ଖେଳ ଖବର

ଦିନିକିଆ ବିଶ୍ବକପ୍‌: ଭାରତ ୩, ଇଂଲଣ୍ଡ ୪ – bajravana

[ad_1]

ଭୁବନେଶ୍ବର: ଚଳିତ ଦିନିକିଆ ବିଶ୍ବକପ୍‌ରେ ଭାରତ ନିଜର ଷଷ୍ଠ ମ୍ୟାଚ୍‌ରେ ରବିବାର ଲକ୍ଷ୍ନୌରେ ଗତ ଥରର ବିଜେତା ଇଂଲଣ୍ଡକୁ ଭେଟିବ। ଇଂଲଣ୍ଡ ସଂଘର୍ଷ କରୁଥିଲେ ମଧ୍ୟ ଦିନିକିଆ ବିଶ୍ବକପ୍‌ ଇତିହାସରେ ଭାରତ ବିପକ୍ଷରେ ଏହି ଦଳ ସାମାନ୍ୟ ଆଗୁଆ ରହିଛି। ମୋଟ ୮ ମୁକାବିଲାରୁ ଇଂଲଣ୍ଡ ୪-୩ରେ ଅଗ୍ରଣୀ ଥିବାବେଳେ ଗୋଟିଏ ମୁକାବିଲା (୨୦୧୧) ଟାଇ ରହିଥିଲା। ଦିନିକିଆ ଇତିହାସରେ ଉଭୟ ଦେଶ ୧୦୬ ଥର ମୁକାବିଲା କରିଥିବା ବେଳେ ଭାରତ ୫୭-୪୪ରେ ଆଗୁଆ ରହିଛି। ୨ଟି ମ୍ୟାଚ୍‌ ଟାଇ ଏବଂ ୩ଟିରୁ ଫଳାଫଳ ବାହାରି ନଥିଲା। ଭାରତ ଘରୋଇ ପରି‌ବେଶରେ ୩୩-୨୩ ଏବଂ ବାହାରେ ୧୮-୧୭ରେ ମଧ୍ୟ ଆଗୁଆ ରହି ପ୍ରଧାନ୍ୟ ବିସ୍ତାର କରିଛି। ନିରପେକ୍ଷ ସ୍ଥାନରେ ଖେଳିବା ବେଳେ ମଧ୍ୟ ଭାରତ (୬-୪) ଆଗରେ ରହିଛି। ଏବେ ଆସନ୍ତୁ ବିଶ୍ବକପ୍‌ରେ ହୋଇଥିବା ୮ ମୁକାବିଲା ଉପରେ ବିହାଙ୍ଗାବଲୋକନ କରିନେବା।

ବିଶ୍ବକପ୍‌ର ପ୍ରଥମ (୧୯୭୫) ସଂସ୍କରଣରେ ଆୟୋଜକ ଇଂଲଣ୍ଡକୁ‌ ଭେଟିଥିଲା ଭାରତ ଐତିହାସିକ ଲର୍ଡସ ପଡ଼ିଆରେ। ପ୍ରୁଡେନସିଆଲ୍ ବିଶ୍ବକପ୍‌ ନାମରେ ଖେଳାଯାଇଥିବା ଏହି ସଂସ୍କରଣରେ ଭାରତକୁ ଇଂଲଣ୍ଡ ୨୦୨ ରନ୍‌ରେ ହରାଇ ଦେଇଥିଲା। ଡେନିସ୍ ଅମିସ୍‌ଙ୍କ ବିସ୍ଫୋରକ ଶତକ (୧୪୭ ବଲ୍‌ରୁ ୧୩୭ ରନ୍‌) ବଳରେ ଇଂଲଣ୍ଡ ୬୦ ଓଭରରେ ୩୩୪ ରନ୍‌ କରିଥିଲା। ଜବାବରେ ଭାରତ ୧୩୨/୩ରେ ସୀମିତ ରହିଥିଲା। ଓପନିଂ କରି ସୁନିଲ ଗାଭାସ୍କର ୧୭୪ ବଲ୍‌ରୁ ୩୬* ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ଦିନିକିଆ କ୍ରିକେଟ୍ ଇତିହାସର ଅଲୋଡ଼ା କୀର୍ତ୍ତିମାନ ହୋଇ ରହିଛି। ଭାରତ କିନ୍ତୁ ବିଶ୍ବକପ୍‌ର ପରବର୍ତ୍ତୀ ମୁକାବିଲାରେ ଏହାର ମଧୁର ପ୍ରତିଶୋଧ ନେଇଯାଇଥିଲା। ୧୯୮୩ରେ ମା‌ଞ୍ଚେଷ୍ଟର୍ ମୁକାବିଲାରେ ଭାରତ ୬ ୱିକେଟ୍‌ରେ ଜିତିଥିଲା। ଇଂଲଣ୍ଡ ୨୧୩ ରନ୍‌ରେ ଅଲଆଉଟ୍ ହୋଇଥିଲା। କପିଳ ଦେବ (୩/୩୫), ମହିନ୍ଦର ଅମରନାଥ (୨/୨୭), ରୋଜର ବିନ୍ନି (୨/୪୩), କୀର୍ତ୍ତି ଆଜାଦ (୧/୨୮)ଙ୍କ ବୋଲିଂ ସଫଳତା କାରଣରୁ ଏହା ସମ୍ଭବ ହୋଇଥିଲା। ଜବାବରେ ଭାରତ ୫୪.୪ ଓଭରରେ ୪ ୱିକେଟ୍ ହରାଇ ୨୧୭ ରନ୍‌ ସଂଗ୍ରହ କରି ନେଇଥିଲା। ସୁନିଲ ଗାଭାସ୍କର ଏବଂ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ୪୬ ରନ୍‌ର ଭାଗୀଦାରି ଦେବା ପରେ ମହିନ୍ଦର ଅମରନାଥ (୪୬*), ୟଶପାଲ୍ ଶର୍ମା (୬୧) ଏବଂ ସନ୍ଦୀପ ପାଟିଲ୍ (୫୧*) ବିଜୟୀ କରାଇଥିଲେ।

୧୯୮୭ ମସିହାରେ କିନ୍ତୁ ଭାରତକୁ ଭାରତ ମାଟିରେ ହରାଇ ଦେଇଥିଲା ଇଂଲଣ୍ଡ। ରିଲାଏନ୍ସ ବିଶ୍ବକପ୍‌ର ମୁମ୍ବାଇ ସେମିଫାଇନାଲ୍‌ରେ ଇଂଲଣ୍ଡ ୩୫ ରନ୍‌ରେ ଜିତିଥିଲା। ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଗ୍ରାହାମ ଗୁଚ୍ (୧୧୫) ଓ ମାଇକ୍ ଗ୍ୟାଟିଂ (୫୪)ଙ୍କ ବଦଳରେ ଇଂଲଣ୍ଡ ୫୦ ଓଭରରେ ୨୫୪/୬ ସ୍କୋର୍‌ କରିଥିଲା। ମନିନ୍ଦର ସିଂହ ୩, କପିଳ ଦେବ ୨, ଚେତନ ଶର୍ମା ୧ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ଏକମାତ୍ର ଅର୍ଦ୍ଧଶତକ (୬୪) ସତ୍ତ୍ବେ ଭାରତ ୪୫.୩ ଓଭରରେ ୨୧୯ ରନ୍‌ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏଡି ହେମିଙ୍ଗ୍ସ ୪ ୱିକେଟ୍ ନେଇ ଭାରତର ସର୍ବାଧିକ କ୍ଷତି ଘଟାଇଥିଲେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ମୁକାବିଲା ହୋଇଥିଲା ୧୯୯୨ ବେନ୍‌ଜନ୍ ଆଣ୍ଡ୍ ହେଜେସ୍‌ ବିଶ୍ବକପ୍‌ରେ। ପର୍ଥରେ ଖେଳାଯାଇଥିବା ଏହି ମୁକାବିଲାରେ ଇଂଲଣ୍ଡ ୯ ରନ୍‌ରେ ରୋମାଞ୍ଚକ ବିଜୟ ପାଇଥିଲା। ରବିନ୍‌ ସ୍ମିଥ୍ (୯୧)ଏବଂ ଗ୍ରାହାମ୍ ଗୁଚ୍‌ (୫୧) ବଳରେ ଇଂଲଣ୍ଡ ୨୩୬/୯ରେ ସୀମିତ ରହିଥିଲା। କପିଳ ଦେବ, ମନୋଜ ପ୍ରଭାକର, ଜଭାଗାଲ ଶ୍ରୀନାଥ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ ରବି ଶାସ୍ତ୍ରୀ (୫୭)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ୪୯.୨ ଓଭରରେ ୨୨୭ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା।

ବିଶ୍ବକପ୍‌ ଇତିହାସରେ ଇଂଲଣ୍ଡ ବିପକ୍ଷରେ ଭାରତ ଦ୍ବିତୀୟ ବିଜୟ ପାଇଥିଲା ୧୯୯୯ ସଂସ୍କରଣରେ। ବର୍ମିଂହାମରେ ଘରୋଇ ମାଟିରେ ଇଂଲଣ୍ଡକୁ ଭାରତ ୬୩ ରନ୍‌ରେ ହରାଇ ଦେଇଥିଲା। ରାହୁଲ ଦ୍ରାବିଡ଼ଙ୍କ ଅର୍ଦ୍ଧଶତକ (୫୩) ସାଙ୍ଗକୁ ସୌରଭ ଗାଙ୍ଗୁଲି, ଏସ୍ ରମେଶ, ସଚିନ ତେନ୍ଦୁଲକର, ଅଜୟ ଜାଡ଼େଜା, ମହମ୍ମଦ ଆଝାରୁଦ୍ଦିନଙ୍କ ଉପଯୋଗୀ ଅବଦାନ କାରଣରୁ ଭାରତ ୨୩୨/୮ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ୪୫.୨ ଓଭରରେ ୧୬୯ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ସୌରଭ ଗାଙ୍ଗୁଲି (୪୦ ରନ୍ ଏବଂ ୩/୨୭) ଅଲ୍ ରାଉଣ୍ଡ୍ ପ୍ରଦର୍ଶନ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦେବାଶିଷ ମହାନ୍ତି, ଜଭାଗାଲ ଶ୍ରୀନାଥ ଓ ଅନିଲ କୁମ୍ବଲେ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ୪ ବର୍ଷ ପରେ ୨୦୦୩ ଡର୍ବାନ୍‌ ମୁକାବିଲାରେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ରାହୁଲ ଦ୍ରାବିଡ଼ (୬୨) ଏବଂ ସଚିନ ତେନ୍ଦୁଲକର (୫୦)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୫୧ ରନ୍ କରିଥିଲା। ଯୁବରାଜ ସିଂହ ୩୮ ବଲ୍‌ରୁ ୪୨ ରନ୍ କରିଥିଲେ। ଆଣ୍ଡି କ୍ୟାଡିକ୍ ୩ ଏବଂ ଆଣ୍ଡ୍ରିଉ ଫ୍ଲିଣ୍ଟଫ ୨ ୱିକେଟ୍‌ ନେଇଥିଲେ। ଜବାବରେ ଫ୍ଲିଣ୍ଟଫଙ୍କ ଅର୍ଦ୍ଧଶତକ (୬୪) ସତ୍ତ୍ବେ ଇଂଲଣ୍ଡ ୧୬୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ୮୨ ରନ୍‌ର ପରାଜୟ ସହ ଭାରତ ନିକଟରୁ ମଧ୍ୟ ଇଂଲଣ୍ଡ ପ୍ରଥମ ଥର କ୍ରମାଗତ ପରାଜୟ ବରଣ କରିଥିଲା। ଆଶିଷ ନେହେରା (୧୦-୨-୨୩-୬) ଏହି ମ୍ୟାଚ୍‌ର ନାୟକ ସାଜିଥିଲେ।

୨୦୧୧ ମସିହାରେ ଭାରତକୁ ଶେଷ ଥର ପାଇଁ ବିଶ୍ବକପ୍‌ ଫେରିଥିଲା। ବାଙ୍ଗାଲୋରରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମୁକାବିଲା ହାଇସ୍କୋରିଂ ଟାଇ ରହିଥିଲା। ସଚିନ ତେନ୍ଦୁଲକରଙ୍କ ଶତକ (୧୨୦) ସହିତ ଯୁବରାଜ ସିଂହ (୫୮) ଓ ଗୌତମ ଗମ୍ଭୀର (୫୧)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୩୮ ରନ୍‌ କରିଥିଲା। ଟିମ୍ ବ୍ରେସନାନ୍‌ ୫ ୱିକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ୩୩୮/୮ରେ ସୀମିତ ରହିଯାଇଥିଲା। ଆଣ୍ଡ୍ରିଉ ଷ୍ଟ୍ରସ୍ (୧୫୮) ଏବଂ ଇଆନ୍ ବେଲ୍ (୬୯)ଙ୍କ ଲଢ଼ୁଆ ପାଳି ବେକାର ଯାଇଥିଲା। ଜାହିର୍ ଖାନ୍ (୩/୬୪), ମୁନାଫ ପଟେଲ୍ (୨/୭୦), ପୀୟୂଷ ଚାୱଲା (୨/୭୧), ହରଭଜନ ସିଂହ (୧/୫୮) ଏହି ରୋମାଞ୍ଚର ଭାଗୀଦାର ଥିଲେ। ୨୦୧୯ ସଂସ୍କରଣରେ ଭାରତ କିନ୍ତୁ କ୍ରମାଗତ ୨୦ ବର୍ଷ ଧରି ବିଶ୍ବକପ୍‌ରେ ଅପରାଜିତ ରହିବାର ଧାରାକୁ ରଖିପାରି ନଥିଲା। ବର୍ମିଂହାମରେ ଇଂଲଣ୍ଡ ୩୧ ରନ୍‌ରେ ଜିତିଯାଇଥିଲା। ଜନି ବେୟାରଷ୍ଟୋ (୧୧୧) ଏବଂ ବେନ୍ ‌ଷ୍ଟୋକ୍ସ (୭୯)ଙ୍କ ସହାୟତାରେ ଇଂଲଣ୍ଡ ୩୩୭ ରନ୍‌ କରିଥିଲା। ମହମ୍ମଦ ସାମି ୫ ୱି‌କେଟ୍‌ ନେଇଥିଲେ। ଜବାବରେ ରୋହିତ ଶର୍ମା (୧୦୨) ଏବଂ ବିରାଟ କୋହଲି (୬୬)ଙ୍କ ଭଲ ବ୍ୟାଟିଂ ସତ୍ତ୍ବେ ଭାରତ ୩୦୬/୫ରେ ଅଟକିଯାଇଥିଲା। ଋଷଭ ପନ୍ତ (୩୨) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୪୫) ଆଉଟ୍ ହୋଇଯିବା ପରେ ମହେନ୍ଦ୍ର ସିଂହ ‌ଧୋନି (୩୧ ବଲ୍‌ରୁ ୪୨* ରନ୍‌) ଏବଂ କେଦାର ଯାଦବ (୧୩ ବଲ୍‌ରୁ ୧୨* ରନ୍‌) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଲକ୍ଷ୍ୟରେ ପହଞ୍ଚିପାରି ନଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button