ଶିଖର ଧାୱନଙ୍କ ୯୦ ରନ୍ ବଳରେ ଭାରତ ୧୭୪ ରନ୍ କରିଥିଲା। ଏହା ସତ୍ତ୍ୱେ ଭାରତ ମ୍ୟାଚକୁ ବଞ୍ଚାଇ ପାରି ନ ଥିଲା। ଶ୍ରୀଲଙ୍କା ୫ ୱିକେଟ୍ରେ ମ୍ୟାଚ ଜିତି ନେଇଛି। କୁଶଲ ପେରେରାଙ୍କ ୬୬ ରନ୍ ବଳରେ ଶ୍ରୀଲଙ୍କା ପ୍ରଥମ T-20 କୁ ଅକ୍ତିଆର କରି ନେଇଛି।
ଆର୍.ପ୍ରେମାଦେସା ଷ୍ଟାଡିୟମରେ ଆଜି ଖେଳାଯାଇଥିବା ‘ନିଦହାସ T-20’ ଟୁର୍ଣ୍ଣମେଣ୍ଟର ପ୍ରଥମ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନ। ମାତ୍ର ରୋହିତ ୪ଟି ବଲ୍ ଖେଳି କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରୈନା ମଧ୍ୟ ବେଶୀ ସମୟ ପିଚ୍ରେ ତିଷ୍ଠି ପାରିନଥିଲେ। ସେ ୩ଟି ବଲ୍ ଖେଳି ମାତ୍ର ଗୋଟିଏ ରନ୍ କରି ଆଉଟ୍ ହୋଇଯାଇଥିଲେ। ଗୋଟିଏ ପାର୍ଶ୍ୱରେ ଶିଖର ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପକ୍ଷରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଯାଉଥିଲା। ଏହି ସମୟରେ ପଡ଼ିଆକୁ ଆସିଥିବା ମନିଷ ପାଣ୍ଡେ ଧର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେ ୩୭ ରନ୍ କରି ଆଉଟ୍ ହୋଇଯାଇ ଥିଲେ। ସେହିପରି ଶିଖର ୯୦, ଋଷଭ ପନ୍ଥ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଦୀନେଶ କାର୍ତ୍ତିକ ୧୩ ରନ୍ କରି ନଟ୍ଆଉଟ୍ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମଥା ଚମେରା ୨ଟି ୱିକେଟ୍ ନେଇଥିବା ବେଳେ ନ୍ୟୁଆନ୍ ପ୍ରଦୀପ, ଜୀବନ ମେଣ୍ଡିସ୍, ଧନୁଷ୍କା ଗୁଣତିଲକା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଯାହାଫଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା।